ଭୁବନେଶ୍ୱର (ବ୍ୟୁରୋ)- ବିଧାନ ସଭା ମୌସୁମୀ ଅଧିବେସନ ଆରମ୍ଭରୁ କଂଗ୍ରେସ ମୋହନ ମାଝୀଙ୍କ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଏକ ବଡ଼ ଚାଲ ଖେଳିଛି।
ବିଧାନସଭା ଅଧିବେଶନ ଆରମ୍ଭ ଦିନ କଂଗ୍ରେସ ଏହି ଅନାସ୍ଥା ପ୍ରସ୍ତାବ ନୋଟିସ୍ ଦେବା ପରେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ସଂଖ୍ୟା ଦୃଷ୍ଟିରୁ ଦେଖିଲେ କଂଗ୍ରେସର ଏହି ପ୍ରସ୍ତାବ ମୋହନଙ୍କ ସରକାର ଉପରେ କୌଣସି ଫରକ୍ ପଡ଼ିବ ନାହିଁ। କିନ୍ତୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ଏହି ପ୍ରସ୍ତାବ ଦ୍ୱାରା ଭାଜପା ସରକାରର ଯେତିକି କ୍ଷତି ହେବ ନାହିଁ ତାହାଠାରୁ ଅଧିକ କ୍ଷତି ଘଟିବ ବିଜେଡିର। କଂଗ୍ରେସ ଜାଣିଶୁଣି ବିଜେଡିକୁ ଲୋକଲୋଚନରେ ଅପଦସ୍ତ କରାଇବା ଏବଂ ବିଜେଡି ପ୍ରକୃତ ବିରୋଧୀ ଦଳ ନୁହେଁ ବୋଲି ଏଭଳି ଏକ ବାର୍ତ୍ତା ଜନସାଧାରଣଙ୍କୁ ଦେବା ପାଇଁ ଅଭିପ୍ରେତ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
ସଂଖ୍ୟା ଗଣିତ ଦେଖିଲେ ଭାଜପା ସରକାର ର ଏହି ଅନାସ୍ଥା କୌଣସି ଫରକ୍ ପକାଇ ପାରିବ ନାହିଁ। ଭାଜପା ପାଇଁ ଅନାସ୍ଥାର କିଛିମାନେ ରହିବ ନାହିଁ। କାରଣ ୧୪୭ ସଦସ୍ୟ ସଂଖ୍ୟା ବିଧାନସଭାରେ ବିଜେପିର ୭୮ଜଣ ସଦସ୍ୟ ଥିଲାବେଳେ ବିଜେଡିର ୫୧ଜଣ ସଦସ୍ୟଙ୍କ ଭିତରୁ ଜଣଙ୍କର ଦେହାନ୍ତ ପରେ ୫୦କୁ ଖସିଛି। କଂଗ୍ରେସର ମାତ୍ର ୧୪ଜଣ ସଦସ୍ୟ ଅଛନ୍ତି। ଅବଶିଷ୍ଟ ୪ଜଣ ସଦସ୍ୟଙ୍କ ମଧ୍ୟରୁ ୩ ସ୍ୱାଧୀନ ବିଜେପି ସପକ୍ଷରେ ଥିଲାବେଳେ ଅନ୍ୟ ଜଣେ ସିପିଏମ୍ ସଦସ୍ୟ କଂଗ୍ରେସକୁ ସମର୍ଥନ କରିବେ। ଏଣୁ ବିଜେଡି, କଂଗ୍ରେସ ଓ ସିପିଏମ୍ ମିଶିଲେ ବି ସଂଖ୍ୟା ଦୃଷ୍ଟିରୁ ସରକାରଙ୍କର କିଛି କ୍ଷତି କରିପାରିବେ ନାହିଁ। ଅନ୍ୟପକ୍ଷରେ ବିଜେଡି କୌଣସି ପରିସ୍ଥିତିରେ ଭାପ ବିରୋଧରେ ଯିବ ନାହିଁ। କାରଣ ନିକଟରେ ପାର୍ଲାମେଣ୍ଟରେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ଭାଜପା ନେତୃତ୍ୱାଧିନ ଏନ୍ଡିଏ ସରକାର ବିରୋଧରେ ଏକ୍ଜୁଟ୍ ହୋଇ ଫେଲ୍ ମାରିଥିଲେ। ଉପସଭାପତି ନିର୍ବାଚନ ବେଳେ ବିରୋଧୀ ଦଳ ପ୍ରାର୍ଥୀ ଦେଇ ଫେଲ୍ ମାରିଲା। ସେ ସମୟରେ ବିଜେଡି ବିରୋଧୀ ମେଣ୍ଟରେ ନ ରହି ସ୍ୱାଧୀନ ମତ ଅବଲମ୍ବନ କଲା। ପୁରୁଣା ଫର୍ମୁଲାରେ ସମଦୂରତା କଥା କହି ଭୋଟ୍ ଦାନରୁ ବିରତ ରହିଲା। ଲୁଚି ଛପି ଜଣେ ଡି ଜଣ ରାଜ୍ୟ ସଭା ଏମ ପି ୱାକୁଫ ବୋର୍ଡ ବିଲ ସପକ୍ଷରେ ଭୋଟ ଦେଲେ।
ଏବେ କଂଗ୍ରେସ ଯେତେବେଳେ ଅନାସ୍ଥା ପ୍ରସ୍ତାବ ଆଣିଛି ସେତେବେଳେ ବିଜେଡି କେବେହେଲେ ତାକୁ ସମର୍ଥନ ଦେବ ନାହିଁ। ସେହି ସମଦୂରତା ପନ୍ଥା ଆପଣାଇବ ବୋଲି ରାଜନୀତି ବିଶାରଦ ମତ ଦେଉଛନ୍ତି।
କିଛି ବୁଦ୍ଧିଜୀବୀଙ୍କ ମତରେ ପିସିସ ସଭାପତି ଭକ୍ତ ଚରଣ ଦାସ ନିଜର ପତିଆରା ଜାରି କରିବା ପାଇଁ ଅନାସ୍ଥା ପ୍ରସ୍ତାବ କଥା ଅନେକ ଦିନରୁ କହି ଆସୁଥିଲେ। ପ୍ରକୃତରେ ରାଜନୈତିକ ପରିପକ୍ୱତା ଦେଖାଇବା ପାଇଁ ଏଭଳି ପଦକ୍ଷେପ ନେବା ପ୍ରଥମେ ବିଧାନସଭା ଅଧିବେଶନ ପୂର୍ବରୁ ତାଙ୍କର କର୍ତ୍ତବ୍ୟ ଥିଲା ସେ ଯାଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏ ବିଷୟରେ ଆଲୋଚନା କରିଥାଆନ୍ତେ। ତାଙ୍କୁ ମନେଇବା ପାଇଁ ଉଦ୍ୟମ କରିଥାଆନ୍ତେ। ଖାଲି ଗଣମାଧ୍ୟମରେ ବିବୃତି ରଖି ପ୍ରସ୍ତାବ ଦେବାର କୌଣସି ଯଥାର୍ଥତା ନାହିଁ। ଭକ୍ତ ଦାସ ଗଣମାଧ୍ୟମରେ ପ୍ରସ୍ତାବ ଦେଲେ ଯେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ବିଜେଡି ଆଣୁ ଓ କଂଗ୍ରେସ ତାକୁ ସମର୍ଥନ ଦେବ, ନଚେତ୍ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଲେ ବିଜେଡି ସମର୍ଥନ ଦେବ। କିନ୍ତୁ ବିଜେଡି ସଭାପତି ଏହା ଉପରେ କୌଣସି ପ୍ରତିକ୍ରିୟା ନ ରଖିବା ଦ୍ୱାରା ଭକ୍ତଙ୍କ ପ୍ରସ୍ତାବକୁ ଏକ ପ୍ରକାର ପ୍ରତ୍ୟାଖାନ କଲେ ବୋଲି କୁହାଯାଉଛି। ଏହା ପରେ ଯଦି କଂଗ୍ରେସ ପ୍ରସ୍ତାବ ଆଣେ ଓ ବିଜେଡିକୁ ସମର୍ଥନ କରିବାକୁ କୁହେ ତେବେ ରାଜନୈତିକ ଦୃଷ୍ଟିକୋଣରୁ ବିଚାର କଲେ କେବେ ସଫଳତା ମିଳିବ ନାହିଁ। ବିଜେଡି-କଂଗ୍ରେସ ମଧ୍ୟରେ ଯେଉଁ ସମ୍ପର୍କ ରାଜ୍ୟ ରାଜନୀତିରେ ଦୀର୍ଘବର୍ଷ ହେଲା ରହି ଆସିଛି ତାହାକୁ ଦ୍ୱାହି ଦେଇ ସହଜରେ ନୀବନ ଖସିବେ।
ମାତ୍ର ୧୪ ଜଣ ସଦସ୍ୟରେ ଅନାସ୍ଥା ପ୍ରସ୍ତାବ ଆଣିବା ପଛର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଯେ ଭକ୍ତ ରାଜ୍ୟବାସୀଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ କଂଗ୍ରେସ ହେଉଛି ପ୍ରକୃତ ବିରୋଧୀ ଦଳ। ବିଜେଡି ମୁଖ୍ୟ ବିରୋଧୀ ଦଳ ହୋଇଥିଲେ ବି ବାସ୍ତବରେ ସେପରି ଭୂମିକା ଭାଜପା ବିରୋଧରେ ଗ୍ରହଣ କରୁନାହିଁ। ବିଜେଡିର ବିରୋଧୀ ଭୂମିକା କେବଳ ଲୋକ ଦେଖାଣିଆ ଓ ଜନ ସାଧାରଣଙ୍କୁ ଭୂଆଁ ବୁଲାଇବାକୁ ଉଦିଷ୍ଟ ବୋଲି ପିସିସି ସଭାପତି ଜଣାଇବାକୁ ଚାହୁଁ ଥିବା କୁହାଯାଉଛି। ଅନ୍ୟପଟରେ ବିଜେଡି ପକ୍ଷରୁ କୁହାଯିବ ଯେ କଂଗ୍ରେସ ପ୍ରସ୍ତାବ ଆଣିବା ପୂର୍ବରୁ ଆମ ସହ କୌଣସି ଆଲୋଚନା କରିନାହିଁ କି ଆମ ମତାମତ ନେଇନାହିଁ। କଂଗ୍ରେସ ତା’ର ଏକପାଖିଆ ନିଷ୍ପତ୍ତି ନେଇ ପ୍ରସ୍ତାବ ଆଣି ଆମକୁ ସମର୍ଥନ କରିବାକୁ କହୁଛି। କଂଗ୍ରେସର ପ୍ରସ୍ତାବକୁ ଆମେ କାହିଁକି ସମର୍ଥନ ଦେବୁ ବୋଲି ଏ ପ୍ରଶ୍ନ ବିଜେଡି ଉଠାଇପାରେ ବୋଲି ଆଲୋଚନା ହେଉଛି।
ବିଜେଡି ଆଜି ପର୍ଯ୍ୟନ୍ତ ଭାଜପାକୁ କ୍ଷତି ହେଲା ଭଳି କୌଣସି ବଡ଼ ଧରଣର ପଦକ୍ଷେପ ଗ୍ରହଣ କରି ନାହିଁ। ଆଗକୁ ମଧ୍ୟ କଠୋର ଆଭିମୁଖ୍ୟ ନେବ ବୋଲି ଜଣାପଡ଼ୁ ନାହିଁ। ବିଜେଡି ପାଇଁ ଅନେକ ରାଜନୈତିକ ବାଧ୍ୟବାଧକତା ରହିଛି। ନିର୍ବାଚନ ସମୟରେ ଭାଜପାର ଶୀର୍ଷ ନେତାମାନେ ରାଜ୍ୟରେ କ୍ଷମତାକୁ ଆସିଲେ ବିଜେଡି ନେତାମାନଙ୍କ ବିରୋଧରେ ଯେଉଁ ସବୁ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଲୋକଙ୍କ ପାଖରେ ମତ ରଖିଥିଲେ ତାହା ଗୋଟିଏ ହେଲେ କାର୍ଯ୍ୟକାରୀ କରି ନାହାଁନ୍ତି। ଏଥିରୁ ସ୍ପଷ୍ଟ ଯେ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବେ କ୍ଷତି କଲା ଭଳି କୌଣସି ପଦକ୍ଷେପ ଭାଜପା ନେବ ନାହିଁ। ସେହିପରି ନବୀନ ମଧ୍ୟ ଭାଜପା ବିରୋଧରେ ଭାଷଣ ବ୍ୟତିତ କ୍ଷତି କଲାଭଳି କିଛି ପଦକ୍ଷେପ ନେବେ ନାହିଁ।
ଅନାସ୍ଥା ପ୍ରସ୍ତାବ ଆସିଲେ ବିଜେଡି ଆଲୋଚନାରେ ଭାଗ ନେବ କି ନାହିଁ ତାହା ଭବିଷ୍ୟତ ହିଁ କହିବା । ଆଲୋଚନାରେ ଭାଗ ନେଲେ ମଧ୍ୟ ଭୋଟ୍ ଦାନରୁ ବିରତ ରହିବ ତାହା ବିଜେଡି ଆଚରଣର ହିଁ ପରୋକ୍ଷରେ ବୟାନ କରୁଛି । କେବଳ ବିରୋଧ ଦର୍ଶାଇବା ପାଇଁ ଆଲୋଚନାରେ ଭାଗ ନେଇ ସରକାରଙ୍କୁ କିଛି ସମାଲୋଚନା କରିପାରେ। କିନ୍ତୁ ଭାଜପା ସରକାରଙ୍କୁ ବଦ୍ନାମ କରିବା ପାଇଁ କିଛି କରିବ ନାହିଁ। ଏକଥା ସ୍ପଷ୍ଟ ଯେ ବିଜେଡି ମିଶିଲେ ବି ଭାଜପାର କିଛି କ୍ଷତି ହେବ ନାହିଁ। ନବୀନଙ୍କୁ କେବଳ ପଦାରେ ପକାଇବା ପାଇଁ ଭକ୍ତଙ୍କର ଏହା ଚାଲ୍ ବୋଲି ଆଲୋଚନା ହେଉଛି।