ଭୁବନେଶ୍ୱର: ବିଜେଡି ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁପରେ ଖାଲି ପଡିଥିବା ନୂଆପଡା ବିଧାନସଭା ଆସନ ପାଇଁ ଆସନ୍ତା ନଭେମ୍ବର ୧୧ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସୋମବାର ଭାରତର ମୁଖ୍ୟ ନିର୍ବାଚନ କମିଶନର ଘୋଷଣା କରିଛନ୍ତି । ନଭେମ୍ବର ୧୪ ତାରିଖରେ ହେବ ଭୋଟ ଗଣତି ଓ ଫଳାଫଳା ଘୋଷଣା । ନୂଆପଡା ଉପ ନିର୍ବାଚନ ପାଇଁ ଅକ୍ଟୋବର ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବଏବଂ ଅକ୍ଟୋବର ୨୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ସମୟ ଧାର୍ଯ୍ୟ ହୋଇଛି । ଏଥିସହିତ ମୁଖ୍ୟ ନିର୍ବାଚନ କମିଶନର ବିହାର ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ବିହାରରେ ୨ଟି ପର୍ଯ୍ୟାୟରେ ନଭେମ୍ବର ୬ ଓ ୧୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୧୪ ତାରିଖରେ ଫଳାଫଳ ଘୋଷଣା କରାଯିବ ।
ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ନୂଆପଡା ଆସନରେ କେଉଁ ଦଳ କାହାକୁ ପ୍ରାର୍ଥୀ ଘୋଷଣା କରୁଛନ୍ତି ତାହା ଉପରେ ଏବେ ସଭିଙ୍କ ନଜର । ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଜୋର ଧରିଛି । ରାଜ୍ୟରେ ସରକାରକୁ ଆସିବା ପରେ ଭାଜପା ପ୍ରଥମ ଥର ପାଇଁ ଉପ ନର୍ବାଚନ ସମ୍ମୁଖିନ ହେବାକୁ ଯାଉଛି । ଏହି ନିର୍ବାଚନ ଭାଜପା ପାଇଁ ସମ୍ମାନର ପ୍ରଶ୍ନ । ଦଳ କଳେ ବଳେ କୌଶଳେ ଏହି ଆସନକୁ ହାତେଇବାକୁ ଉଦ୍ୟମ କରିବ । ଅନ୍ୟ ପକ୍ଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀ ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବ । ଗତ ୧ ବର୍ଷ ମଧ୍ୟରେ ଭାଜପା ସରକାରର କାର୍ଯ୍ୟକଳାପ ଉପରେ ନୂଆପଡା ଉପ ନିର୍ବାଚନର ଫଳ ନିର୍ଭର କରୁଛି ।