ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ବୁଧବାର ସନ୍ଧ୍ୟାରେ ପୂର୍ବତନ ମନ୍ତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ପ୍ରାର୍ଥୀ ଘୋଷଣା କରିଛନ୍ତି। ସ୍ନେହାଙ୍ଗିନୀଙ୍କ ଉପରେ ଦଳ ଭରସା କରିଛି।
ସ୍ନେହାଙ୍ଗିନୀ ଛୁରିଆ ଶିକ୍ଷକତାରୁ ରାଜନୀତିକୁ ଆସିଥିଲେ। ୨୦୧୪ରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ହସ୍ତତନ୍ତ, ବୟନଶିଳ୍ପ ବିଭାଗ ପାଇଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି। ଆଡଗାଁ ବାଳିକା ବିଦ୍ୟାଳୟରେ ୧୯୯୫ରେ ଶିକ୍ଷକତା ଆରମ୍ଭ କରିଥିଲେ। ୧୯୯୭ରେ ଚାକିରି ଛାଡ଼ି ରାଜନୀତିକୁ ଆସିଲେ। ପ୍ରଥମ ଥର ପଞ୍ଚାୟତ ନିର୍ବାଚନରେ କ୍ୟାରିୟର ଆରମ୍ଭ କଲେ। ତଲମେଣ୍ଡା ପଞ୍ଚାୟତରୁ ସମିତିସଭ୍ୟ ଭାବେ ଜିତିଲେ। ଜିତିବା ପରେ ଭେଡେନ୍ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀରୁ ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ। ୨୦୨୪ ନିର୍ବାଚନରେ ୭୦,୫୭୭ ଭୋଟ୍ ପାଇଥିଲେ। ସେ ୨୮,୯୧୦ ଭୋଟ୍ରେ ପରାସ୍ତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ନିହାର ମହାନନ୍ଦଙ୍କ ଠାରୁ ହାରିଥିଲେ।
ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ଦେଖାଯାଇଛି। ଆସନ୍ତା ନଭେମ୍ବର ୧୧ ତାରିଖରେ ଏଠାରେ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ଆସନ୍ତା କାଲି ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆସନ୍ତା ୧୮ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ ।
ସୂଚନାଯୋଗ୍ୟ, ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ନିବାସରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି। ଏଥିପାଇଁ ଦଳର ବରିଷ୍ଠ ନେତାଙ୍କୁ ଡାକିଥିଲେ। ନବୀନଙ୍କ ଡାକରା କ୍ରମେ ମନୋଜ ମିଶ୍ର ଆସିଥିଲେ, ଯିଏକି ନୂଆପଡ଼ା ନିର୍ବାଚନ ପାଇଁ ବିଜେଡି ଲୋକାଲ ଆକ୍ସନ କମିଟି ସଦସ୍ୟ ଥିଲେ।