ପ୍ରେମ ଆଗରେ ସବୁକିଛି ତୁଚ୍ଛ ହୋଇଯାଇଛି । କେବଳ ପ୍ରେମ ଦରକାର। ଭଲ ପାଇବା ଏତେ ଭାରି ପଡ଼ିଲା ଯେ ସୁଦୂର ଆମେରିକାକୁ ଛାଡ଼ି ଓଡ଼ିଶା ଚାଲି ଆସିଛନ୍ତି ଜଣେ ଯୁବତୀ। କେବଳ ଚାଲି ଆସିନାହାନ୍ତି। ନିଜ ପ୍ରେମିକ ପାଖରେ ପହଞ୍ଚିବାକୁ ସେ ମିଛ ନାଟକ ମଧ୍ୟ ରଚିଛନ୍ତି। ନିଜ ପାଳିତ ମାଙ୍କ ନାମରେ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଆମେରିକା ଫେରନ୍ତା ଯୁବତୀ ଜଣକ ଗଣମାଧ୍ୟମ ଆଗରେ ଏକଥାକୁ ସ୍ବୀକାର କରିଛନ୍ତି।
ପୂଜା ଓରଫ୍ ସେଜଲ ଜନ ଆମେରିକାରେ ତାଙ୍କ ପାଳିତ ମା ନିର୍ଯାତନା ଦେଉଥିବା କାହାଣୀ ରଚନା କରି ଭିଡିଓକୁ ଭାଇରାଲ କରିଦେଇଥିଲେ।
ପ୍ରେମିକ ଅମର ପାଇଁ ଆମେରିକାରୁ ଫେରିବା ପରେ ସତ କହିଛନ୍ତି। ପ୍ରେମ ପାଇଁ ସେ ଆମେରିକାରେ ମିଛ ନିର୍ଯାତନାର କାହାଣୀ ରଚିଥିଲେ। ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ଫେରିବାର ପ୍ରକୃତ ରହସ୍ୟକୁ ଉନ୍ମୋଚନ କରିଛନ୍ତି।
ସେ ଗଣମାଧ୍ୟମକୁ କହିଛନ୍ତି ଯେ ମୋ ପାଳିତ ମା’ ବହୁତ ଭଲ’। ମୋତେ ନିର୍ଯାତନା ଦେଇ ନାହାନ୍ତି। ପ୍ରେମ ପାଇଁ ଓଡ଼ିଶା ଆସିବାକୁ ଚାହୁଁ ଥିଲି। ‘ଅମରଙ୍କ ସହାୟତାରେ ନିଜ ମା’ଙ୍କ ନାଁରେ ମିଛ ଭିଡିଓ ଜାରି କରିଥିଲି’। ଅମର ବାଲେଶ୍ବର ଅଞ୍ଚଳର। ତାଙ୍କୁ ବାହା ହେବାକୁ ଚାହୁଁ ଥିବାରୁ ଏଭଳି କରିଛି ବୋଲି ସେ କହିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ପୂର୍ବରୁ ପୂଜା ତାଙ୍କ ପ୍ରେମିକ ଜରିଆରେ ମିଛ ଭିଡିଓ କରି ଭାଇରାଲ୍ କରିଥିଲେ। ଆମେରିକାରେ ତାଙ୍କୁ ନିର୍ଯାତନା ଦିଆଯାଉଛି। ସେ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି। ତୁରନ୍ତ ତାଙ୍କୁ ଫେରାଇ ନେବାକୁ ଅନୁରୋଧ କରିଥିଲେ। ଏହି ଭିଡିଓ ଭାଇରଲ ହେବା ପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହାୟତାରେ ଉକ୍ତ ଯୁବତୀଙ୍କୁ ଆମେରିକାରୁ ଫେରାଇ ଆଣିବାକୁ ପଦକ୍ଷେପ ନେଇଥିଲେ। ଶେଷରେ ଯୁବତୀ ଜଣକ ଓଡ଼ିଶା ଫେରିଛନ୍ତି। ତେବେ ଏ ସବୁ ପ୍ରେମ ପାଇଁ ମିଛ ନାଟକ ଥିଲା ବୋଲି ଯୁବତୀ ସ୍ବୀକାର କରିଛନ୍ତି।