ଭୁବନେଶ୍ୱର, ସମ୍ବଲପୁର ଏବଂ କୁଚିଣ୍ଡା ଉପଖଣ୍ଡରେ ଶୁକ୍ରବାର ମଣ୍ଡି ଖୋଲିଲା କିନ୍ତୁ ଧାନ ସଂଗ୍ରହ ଆରମ୍ଭ ହୋଇ ପାରି ନାହିଁ। ମିଲରମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ଭାଗ ନେବା ଲାଗି ସହମତି ପ୍ରକାଶ ନ କରିବାରୁ ଗୋଟିଏ ବି ବସ୍ତା ମଧ୍ୟ ଧାନ ଉଠି ପାରିନାହିଁ। ଧାନ ସଂଗ୍ରହରେ ଅନିଶ୍ଚିତତା ଜାରି ରହିଛି।
ନିର୍ଦ୍ଧାରିତ ସମୟ ସକାଳ ୮ଟାରେ ମଣ୍ଡି ଖୋଲିଲା। ଚାଷୀ, ଯୋଗାଣ ଏବଂ ସମବାୟ କର୍ମଚାରୀ ପହଞ୍ଚିଥିଲେ। କିନ୍ତୁ ମିଲର ଆସି ନ ଥିଲେ। ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଚାଷୀ, ଯୋଗାଣ ବିଭାଗ ଏବଂ ମିଲରମାନଙ୍କ ମଧ୍ୟରେ ବୈଠକ ହୋଇଥିଲା। ମିଲରମାନେ ବୈଠକରୁ ଅଧାରୁ ଉଠି ଯାଇଥିଲେ। ଫଳରେ ଧାନ ସଂଗ୍ରହ କ୍ଷେତ୍ରରେ ଅନିଶ୍ଚିତତା ଜାରି ରହିଛି। ଏଣେ କେବେ ପୁଣି ମଣ୍ଡି ଖୋଲିବ ଓ ମିଲରମାନେ ଧାନ ସଂଗ୍ରହ କରିବେ ତାକୁ ନେଇ ଚାଷୀଚିନ୍ତାରେ ପଡିଛନ୍ତି
ରାଜ୍ୟରେ ଧାନ ସଂଗ୍ରହରେ ଦେଖା ଦେଇଥିବା ଅବ୍ୟବସ୍ଥାକୁ ନେଇ ଶାସକ ଓ ବିରୋଧୀ ଦଳ ବିଧାନ ସଭା ବାହାରେ ମୁହାଁ ମୁହିଁ ହୋଇଛନ୍ତି । ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ବରଗଡ ଜିଲାରେ ଏ ପର୍ଯ୍ୟନ୍ତ ଗୋଟିଏ ବସ୍ତା ଧାନ ଉଠି ନାହିଁ । କୌଣସି ମିଲର ଧାନ ଉଠାଇବାକୁ ଯାଉ ନାହାନ୍ତି । କେତେକ ଜାଗାରେ ହଜାର ହାଜାର ଚାଷୀଙ୍କର ନାମ ପଞ୍ଜିକରଣ ହୋଇ ନାହିଁ । ଚାଷୀ ନିଜର ପଞ୍ଜୀକରଣ ନ କଲେ ଧାନ ବିକି ପାରିବେ ନାହିଁ । ରାଜ୍ୟରେ ଧାନର ଅଭାବୀ ବିକ୍ରିି ଆରମ୍ଭ ହୋଇ ଗଲାଣି । ମିଲରମାନେ କହୁଛନ୍ତି ଧାନ ରଖିବାକୁ ଆମ ପାଖରେ ଜାଗା ନାହିଁ । ସରକାର କହୁଛନ୍ତି ଆମ ପାଖରେ ଯଥେଷ୍ଟ ଜାଗା ଅଛି । ଯଦି ଜାଗା ଅଛି ତେବେ ଧାନ କିଣା କାହିଁକି ହେଉ ନାହିଁ । ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ) ଧାନ ଉଠାଉ ନାହିଁ । ଡବଲ ଇଞ୍ଜିନ ସରକାର । ଗୋଟିଏ ଇଞ୍ଜିନି ଆଉ ଗୋଟିଏ ଇଞ୍ଜିନକୁ ସମର୍ଥନ କରୁ ନାହିଁ । ଏ ପର୍ଯ୍ୟନ୍ତ ଗତ ଡାଳୁଅ ଏବଂ ଖରିଫର ଚାଉଳ ଏଫସିଆଇ ଉଠାଇ ନାହିଁ । ସେ ବାବଦରେ ହଜାର ହଜାର କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପେମେଣ୍ଟ କରୁ ନାହିଁ । ରାଜ୍ୟ ସରକାର କିଛି କରି ପାରୁ ନାହାନ୍ତି । ଧାନ କିଣାରେ ଚରମ ଅବ୍ୟବସ୍ଥା ହୋଇଛି ବୋଲି ପ୍ରସନ୍ନ ଅଭିଯୋଗ କରିଛନ୍ତି ।ଅନ୍ୟ ପକ୍ଷରେ ଏହାର ଜବାବରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ ରାଜ୍ୟ ସରକାର ଚାଷୀଙ୍କ ଠାରୁ କିପରି ଧାନ କଣିବେ ସେ ବ୍ୟବସ୍ଥା କରିଛନ୍ତି । ସରକାରଙ୍କ ପାଖରେ ଧାନ ରଖିବାକୁ ପର୍ଯ୍ୟାପ୍ତ ଜାଗା ରହିଛି । ଯେଉଁ ଯେଉଁ ଜାଗାରେ ଧାନ ଆସିଲାଣି ସେଠାରେ କିଣିବା ବ୍ୟବସ୍ଥା ହୋଇଛି । ବିରୋଧୀ ଦଳ ସେମାନେ ଯାହା ନାହିଁ ତାହା କହିବେ । ଗତ ବର୍ଷ ଏମିତି କହୁଥିଲେ । ଚାଷୀଙ୍କର ଧାନ ସବୁ କିଣା ହେଲା । ଚାଷୀ ସବୁ ୮୦୦ ଟଙ୍କା ସବ୍ସିଡ ପାଇଲେ ଖୁସି ହେଲେ । ଏବର୍ଷ ଆହୁରି ଅଧିକ୍ ଚାଷ ପଞ୍ଜୀକରଣ କରିଛନ୍ତି । ଆହୁରି ଅଧିକ ଧାନ କିଣା ହେବ । ଆମେ ଆମ କର୍ତ୍ତବ୍ୟ କରୁଛୁ । ଚାଷୀ କେମିିତି ଭଲରେ ରହିବେ । ଚାଷୀଙ୍କ ଧାନ କେମିତି କିଣା ଯିବ ସେ ବ୍ୟବସ୍ଥା ସରକାର କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।