ଭୁବନେଶ୍ୱର: ଗତ କିଛି ବର୍ଷ ନିରବତା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହଠାତ୍ ଏଭଳି ଏକ ବାଣ ମାରିଛନ୍ତି ଯାହାକୁ ନେଇ ରାଜ୍ୟ ରାଜ୍ୟରେ ଚର୍ଚ୍ଚା ଚାଲିଛି । ଦଳ ବିରୋଧୀ ଏବଂ ବିଶ୍ୱାସଘାତ କାର୍ଯ୍ୟ ପାଇଁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ପାଟକୁରାର ନବାଗତ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବିତ କରି ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି।
ବିଶେଷକରି ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପୁତ୍ର ତଥା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରିବା ଘଟଣାକୁ ନେଇ ସବୁ ଆଡ଼େ ଚର୍ଚ୍ଚା ଚାଲିଛି । ବିଜେଡିର ନେତାମାନେ ଲଗାତାର ଭାବରେ ଗଣମାଧ୍ୟମରେ ନିଲମ୍ବିତ ବିଧାୟକ ଏବଂ ବିଜୟ ମହାପାତ୍ରଙ୍କ ବିରୋଧରେ ବୟାନ ଦେଇ ଚାଲିଛନ୍ତି। ସେମାନଙ୍କର ମୁଖ୍ୟ ଟାର୍ଗେଟ ହେଉଛନ୍ତି ବିଜୟ ମହାପାତ୍ର। ଅରବିନ୍ଦ କେବଳ ମୋହରା ବନିଛନ୍ତି ବୋଲି କୁହାଯାଉଛି। ବିଜୟ ବିଜେଡିର ସଦସ୍ୟ ନ ହେଲେ ବି ପୁଅକୁ ଦଳରେ ସାମିଲ କରାଇଥିବାରୁ ପରୋକ୍ଷରେ ସେ ଦଳ ସହ ଜଡ଼ିତ ବୋଲି ଭାବି ନିଆଯାଇଥିଲା। ନୂଆ ଦଳ ଗଠନ ନେଇ ଚର୍ଚ୍ଚା ଜୋର୍ ଧରିବା ଓ ୨୦୨୬ରେ ରାଜନୀତିରେ ଅନେକ ନୂଆ ଘଟଣା ଘଟିବ ବୋଲି ବିଜୟ ପୂର୍ବରୁ ଗଣମାଧ୍ୟମରେ ଅନେକ ଥର ବୟାନ ଦେବା ପରେ ନବୀନଙ୍କ କ୍ୟାମ୍ପରେ ଥିବା ତାଙ୍କର ବିରୋଧୀ ଗୋଷ୍ଠୀ ଅଧିକ ସକ୍ରିୟ ହୋଇ ଉଠିଲେ। ସେମାନଙ୍କୁ ବିଜୟ ଗୋଟିଏ ପରେ ଗୋଟିଏ ସୁଯୋଗ ଦେଲେ, ଯେଉଁଥିରେ ପାରିପର୍ଶ୍ଵିକ ପରିବେଶ ସୃଷ୍ଟି କରାଗଲା ଯେ ବିଜେଡିରେ ଅସନ୍ତୁଷ୍ଠ ନେତାମାନଙ୍କୁ ବିଜୟ ଏକାଠି କରି ନୂଆ ଦଳ ଗଠନ କରିବାକୁ ଉଦ୍ୟମ ଚଳାଇଛନ୍ତି। ଯାହାର ପରିମାଣସ୍ୱରୁପ ତାଙ୍କ ପୁଅ ଉପରେ ନବୀନ ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ଅରବିନ୍ଦଙ୍କ ବିରୋଧରେ ନୁହେଁ ବିଜୟଙ୍କ ବିରୋଧରେ ନବୀନଙ୍କ ଏହା ତୃତୀୟ କାର୍ଯ୍ୟାନୁଷ୍ଠାନ। ପୂର୍ବରୁ ପ୍ରଥମେ ନବୀନ ଦଳରୁ ବିଜୟଙ୍କୁ ନିଲମ୍ବିତ କରିଥିଲେ । ଏହା ପରେ ଟିକେଟ୍ କାଟି ଦୂରେଇ ଦେଇଥିଲେ। ଏବେ ପୁଅ ମାଧ୍ୟମରେ ଆଉ ଏକ ପଦକ୍ଷେପ ନେଇ ନବୀନ ପୁଣି ବିଜୟଙ୍କୁ ବିଜେଡିରୁ ଏକ ପ୍ରକାର ଦୂରେଇ ଦେଇଛନ୍ତି।
ଗତ କିଛି ମାସ ହେଲା ରାଜ୍ୟ ରାଜନୀତିରେ ଯେଉଁ ସବୁ ଘଟଣାମାନ ଘଟି ଚାଲିଛି ସେଥିରେ ଉଭୟ ଭାଜପା ଓ ବିଜେଡି ଚିନ୍ତାରେ ଅଛନ୍ତି। ବିଶେଷକରି ବିଜେଡି ଅଧିକ ଭୟଭିତ ଅଛି ବୋଲି କୁହାଯାଉଛି। ଦଳ ସରକାରରୁ ଯିବା ପରେ ଜଣଙ୍କ ପରେ ଜଣେ ନେତା ମୁହଁ ଖୋଲି ସାଧାରଣରେ ସମାଲୋଚନା କରିବା ପ୍ରକ୍ରିୟା ବଢ଼ିଚାଲିଛି। କଂଗ୍ରେସରୁ ମହମ୍ମଦ ମୋକିମ୍ ବିଦା ହେବା ପରେ ସେ ନୂଆଦଳ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ଇତିମଧ୍ୟରେ ସେ ରାଜ୍ୟର ବିଭିନ୍ନ ଅସନ୍ତୁଷ୍ଠ ନେତାମାନଙ୍କ ସହ ଯୋଗାଯୋଗରେ ଅଛନ୍ତି। ବିଜୟ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଭେଟିବା ଏବଂ ପରବର୍ତ୍ତି ସମୟରେ ବିଜୟ ମହାପାତ୍ର ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ତଥା ନବ ଦାସ ଙ୍କ ଝିଅ ଦିପାଳୀ ଦାସ ଓ ତାଙ୍କ ଭାଇଙ୍କୁ ଏକ ହୋଟେଲ୍କୁ ଡ଼ାକି ଆଲୋଚନା କରିଥିଲେ ବୋଲି କୁହାଯାଉଛି। ଏକଥା ବି ଚର୍ଚ୍ଚା ହେଉଛି ଯେ ନୂଆ ଦଳ ଗଠନ ନେଇ ଦିପାଳୀ ଓ ତାଙ୍କ ଭାଇଙ୍କ ସହ ବିଜୟ ଯେଉଁ ଆଲୋଚନା କରିଥିଲେ ସେ ଖବର କୁଆଡ଼େ ଟିକିନିଖି ଭାବେ ବିଜେଡି ଶିବିରରେ ପହଞ୍ଚିଥିଲା। ବିଜୟ ଯେଉଁ ଆଲୋଚନା କରିଥିଲେ ତାହା ପଛର ସତ୍ୟତା କେତେ ରହିଛି ସେ କଥାକୁ କେହି ଯାଞ୍ଚ କରିବାକୁ ନାହିଁ। କିନ୍ତୁ ବିଜୟ ଯେ ନୂଆ ଦଳ ପାଇଁ ଉଦ୍ୟମ ଚଳାଇଥିବା ବିଷୟକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏପରିକି ବିଧାୟକ ସନାତନ ମହାକୁଡ଼ଙ୍କ ସହ ବିଜୟ ଆଲୋଚନା କରିଥିବା କଥା ବି ଚର୍ଚ୍ଚା କରାଯାଉଛି। ବିଜୟ ବିଜେଡିରୁ ଯିବା ପରେ ‘ଓଡ଼ିଶା ଗଣପରିଷଦ’ ନାମରେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ । ସେ ସମୟରେ ଗୋଟିଏ ବିଧାନସଭା ଆସନ ଅକ୍ତିଆର୍ କରିବାରେ ସଫଳ ହୋଇଥିଲେ। ଦଳ ଚଳାଇବା ସମ୍ଭବ ନହେବାରୁ ଓ କିଛି ସହଯୋଗୀ ଧୋକା ଦେବାରୁ ଗଣପରିସଦ ବୁଡିଗଲା। ପୁଣି ଏକ ଆଞ୍ଚଳିକ ଦଳ ଗଠନ କରି ତାକୁ ଛିଡ଼ା କରାଇବା କେତେଦୂର ସମ୍ଭବ ତାହା ବିଜୟ ହିଁ ଭଲ ଭାବେ ଜାଣିଛନ୍ତି। ସେ ଯାହା ବି ହେଉ ନୂଆ ଆଞ୍ଚଳିକ ଦଳର ‘ଭୂତ’ ନବୀନ ଓ ତାଙ୍କ କୋଟରୀଙ୍କୁ ଘାରିଛି ।
କୁହାଯାଉଛି ବିଜୟ ତାଙ୍କ ପୁଅକୁ ବିଜେଡିରେ ସାମିଲ କରି ମସ୍ତବଡ଼ ରାଜନୈତିକ ଅପରାଧ କରିଛନ୍ତି। ନବୀନଙ୍କୁ ଚିହ୍ନିବାରେ ତାଙ୍କ ରାଜନୈତିକ ଅଭିଜ୍ଞତାର କେଉଁଠି ଟିକେ ଦୁର୍ବଳତା ରହିଗଲା । ବିଜେଡି ଗଠନ ପରେ ପ୍ରଥମେ ଏକ ରାଜ୍ୟସଭା ନିର୍ବାଚନ ଆସିଲା। ସେ ସମୟରେ ନବୀନଙ୍କ ଡୁନ୍ସ୍କୁଲ୍ ସାଥୀ ଅନଙ୍ଗଉଦୟ ସିଂହଦେଓ ପ୍ରାର୍ଥୀ ହେବା ପାଇଁ ଆଗ୍ରହ ପ୍ରକାଶ କଲେ। କିନ୍ତୁ ବିଜୟ ଓ ତାଙ୍କ ସହଯୋଗୀମାନେ ଚାହୁଁ ନ ଥିଲେ। ହେଲେ ସାଙ୍ଗ ହିସାବରେ ନବୀନଙ୍କୁ ପ୍ରଭାବିତ କରି ଅନଙ୍ଗ ଦଳୀୟ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନରେ ସେ ଜିତିପାରିଲେ ନାହିଁ। ବିଜେଡିର କିଛି ବିଧାୟକ କ୍ରଶ୍ ଭୋଟିଂ କରିଥିଲେ। ଯେଉଁଥିପାଇଁ ଅନଙ୍ଗ ଜିତି ପାରି ନ ଥିଲେ। ଏହି ଘଟଣାରେ ନବୀନ ବିଜୟଙ୍କ ସମେତ ୬ଜଣ ଦଳୀୟ ବିଧାୟକଙ୍କୁ ନିଲମ୍ବିତ କରିଥିଲେ। ପରେ ସମସ୍ତଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଥିଲା। ବିଜେଡି ଗଠନ ପରେ ୨୦୦୦ ମସିହାରେ ଦଳ ସାଧାରଣ ନିର୍ବାଚନର ସମ୍ମୁଖିନ ହୋଇଥିଲା। ଦଳ ପକ୍ଷରୁ ଯେଉଁ ଟିକେଟ୍ ବଣ୍ଟ କରାଗଲା ସେଥିରେ ବିଜୟଙ୍କର ବେଶ୍ ଭୂମିକା ଥିଲା। ନବୀନଙ୍କ ଠାରୁ ଟିକେଟ୍ ନେଇ ବିଜୟ ପାଟକୁରାରୁ ଲଢ଼ିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ନବୀନ ସେ ଟିକେଟ୍କୁ ଏପରି ଚତୁରତାର ସହ କାଟିଲେ ଯାହାର ଟିକେ ବି ସୁରାଗ ବିଜୟ ପାଇ ପାରି ନ ଥିଲେ । ବିଧାନ ସଭା ନିର୍ବାଚନ ଲଢ଼ି ପାରିଲେ ନାହିଁ। ପରେ ଦିଲୀପ ରାୟ, ନଳୀନ ମହାନ୍ତି ଭଳି ନେତାଙ୍କୁ ବି ନବୀନ ଦୂରେଇ ଦେଇଥିଲେ।
ରାଜନୈତିକ ଘଟଣାକ୍ରମେ ଦିଲୀପ ପୁଣି ବିଜେଡିକୁ ଫେରିବା ନେଇ ଏକ ପ୍ରକ୍ରିିୟା ହୋଇଥିଲା। ଦିଲୀପ ଏ ନେଇ ନବୀନଙ୍କ ସହ ଆଲୋଚନା କରିଥିଲେ। ଏହି ମିଶ୍ରଣରେ ବିଜୟଙ୍କ ନାମ ବି ସାମିଲ ଥିଲା। ଦିଲୀପଙ୍କର ନବୀନଙ୍କ ନିକଟରେ ତାଙ୍କ ସହ ବିଜୟଙ୍କ ମିଶ୍ରଣର ସର୍ତ ରହିଥିଲା। ଶେଷ ମୁହୂର୍ତ୍ତରେ ଏହି ମିଶ୍ରଣ ଫେଲ୍ ମାରିଥିଲା। କ’ଣ ପାଇଁ ସବୁ ଯୋଜନା ସତ୍ତ୍ୱେ ମିଶ୍ରଣ ହୋଇପାରିଲା ନାହିଁ। ସେଥିରେ ଜଣାପଡ଼ିଲା ଯେ ନବୀନ ପଟ୍ଟନାୟକ କୌଣସି ପରିସ୍ଥିତିରେ ବିଜୟଙ୍କୁ ସାମିଲ୍ କରାଯିବ ନାହିଁ ବୋଲି ରୋକ୍ଠୋକ୍ ମନା କରି ଦେଇଥିଲେ।
ନବୀନ ପଟ୍ଟନାୟକ କୌଣସି ପରିସ୍ଥିରେ ତାଙ୍କୁ ବିଶ୍ୱାସକୁ ନେବେ ନାହିଁ, ଏକଥା ସେ।ଭଲଭାବେ ଜାଣିଥିଲେ। ତେବେ ପୁତ୍ର ମୋହ ବିଜୟଙ୍କୁ ପୁଣି ବିଜେଡି ଆଡ଼କୁ ଆକର୍ଷିତ କରିଥିଲା। ଓଡ଼ିଶାରେ ବିଜେଡିକୁ ଅପ୍ରତିଦ୍ଵନ୍ଦୀ ଭାବି ପୁଅକୁ ରାଜନୀତି ଉତ୍ତରାଧିକାରୀ ଭାବେ ଛିଡ଼ା କରିବାର ନିଶା ବିଜୟଙ୍କୁ ପାଇଁ ଘାତକ ହୋଇଛି। ମାତ୍ର ଦେଢ଼ ବର୍ଷ ପରେ ପୁଅକୁ ବିଜେଡିରୁ ବିଦା ହେବାକୁ ପଡ଼ିଛି। ଅନ୍ୟ ଏକ ଶୁଣିବାକୁ ମିଳିଛି ଯେ ପାଟକୁରାର ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ବିଜୟ କିମ୍ବା ତାଙ୍କ ପୁଅଙ୍କୁ ବିଜେଡିକୁ ଆଣିବାକୁ ଚାହୁଁ ନ ଥିଲେ। ତତ୍କାଳୀନ ବିଜେଡି ସଂ।ଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଜୟଙ୍କ ପୁଅକୁ ବିଜେଡିରେ ଟିକେଟ ଦେବାର ସମସ୍ତ ବ୍ୟବସ୍ଥା କରିଥିଲେ । ଅରବିନ୍ଦ ନିଲମ୍ବନ ପଛରେ ଅତନୁଙ୍କ ହାତ ରହି ଥାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।