ଧାନ କ୍ରୟ ବ୍ୟବସ୍ଥାରେ ଚରମ ବିଫଳତା, କୃଷକ ଶୋଣେ ଓ ସରକାରୀ ଅନ୍ୟାୟ ବିରୋଧରେ ବୁଧବାର ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବୁଧବାର ୮ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ସଂଗଠନର ଆବାହକ ଅକ୍ଷୟ କୁମାର କହିଛନ୍ତି ଯେ ରାଜ୍ୟରେ ଧାନ କିଣା ବ୍ୟବସ୍ଥା ସମ୍ପୂର୍ଣର୍ ଭୁଷୁଡି ପଡିଛି । ଅନେକ ଜିଲାରେ ମଣ୍ଡି ଖୋଲି ନାହିଁ । ଟୋକନ ଦେବାରେ ଅନିୟମିତତା ଯୋଗୁ ଚାଷୀମାନେ ଧାନ ବିକ୍ରିି କରି ପାରୁ ନାହାନ୍ତି । ଧାନ ବିକ୍ରିି ପରେ ଦୀର୍ଘ ସମୟ ଧରି ଟଙ୍କା ନ ମିଳିବାରୁ ଚାଷୀମାନେ ଚନ୍ତାରେ ପଡିଛନ୍ତି । ସରକାର ଇନପୁଟ ସବସିଡ ଏବଂ ଏମଏସପିରେ ବୃଦ୍ଧି କରିଥିଲେ ମଧ୍ୟ ତାହା ଚାଷୀଙ୍କୁ ମିଳି ପାରୁ ନାହିଁ । ଦଲାଲ, ମିଲ ମାଲିକ ଓ ଦୁର୍ନୀତିଗ୍ରସ୍ତ ମଧ୍ୟସ୍ଥଙ୍କ ମଧୁ ଚନ୍ଦ୍ରିକା ଯୋଗୁ କୃଷକମାନେ କମ ମୂଲ୍ୟରେ ଧାନ ବିକ୍ରିି କରିବାକୁ ବାଧ୍ୟ ହେଉଛନ୍ତି । ଏହି ଅରାଜକତା ସତ୍ୱେ ରାଜ୍ୟ ସରକାର କୃଷକଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉ ନାହାନ୍ତି ବୋଲି ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣନ୍ତୁ ଓ ଠିକ ସମୟରେ ଚାଷୀଙ୍କ ପଇସା ଦିଅନ୍ତୁ । ଟୋକନ ନିର୍ଦ୍ଦିଷ୍ଟ ସମୟରେ ଦେବା ସହ ମଣ୍ଡି ବବ୍ୟସ୍ଥାକୁ ସୁବ୍ୟବସ୍ଥିତ କରାଯାଉ । ଦଲାଲ ଓ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଏହାଛଡା ପିୟୁସି ନାରେ ଜନସାଧାରଣଙ୍କୁ ଶୋଷଣ ବନ୍ଦ କରିବା ଏବଂ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଟାଟା ପାୱାରର ଜୁଲମ ବନ୍ଦ କରିବା ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି ବୋଲି ଅକ୍ଷୟ କୁମାର କହିଛନ୍ତି । ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ କଂଗ୍ରେସ ଓ ବାମପନ୍ଥୀ ଦଳଗୁଡିକ ସମର୍ଥନ ଜଣାଇଛନ୍ତି । ସକାଳ ୬ଟାରୁ ମଧ୍ୟାହ୍ନ ୨ଟା ଯାଏ ସମସ୍ତ ଜିଲାରେ ବନ୍ଦ ପାଳନ କରାଯିବ । କେବଳ ଅତ୍ୟାବଶ୍ୟୟ ସାମଗ୍ରୀ ପରିବହନ , ରେଳ ଚଳା ଚଳ ସ୍ୱାଭାବିକ ରହିବ । ସ୍କୁଲ, କଲେଜ, ଯାନବାହନ ବନ୍ଦ ରହିବ ।