ଭୁବନେଶ୍ୱର:ସହରାଞ୍ଚଳରେ ଆଉ ଘର ଭଡ଼ା ଟେନସନ୍ ରହିବ ନାହିଁ। ଏଣିକି ସହରୀ ଗରୀବଙ୍କୁ ସୂଲଭ ମୂଲ୍ୟରେ ଭଡ଼ାରେ ଘର ଯୋଗାଇ ଦେବେ ସରକାର। ଏ ନେଇ ସରକାରୀ ଘର ଚିହ୍ନଟ ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ସମସ୍ତ ଶକ୍ତି, ସ୍ବାସ୍ଥ୍ୟ, ମହିଳା ଓ ସିଶୁବିକଶ, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ଅର୍ଥ, କୃଷି ବିଭାଗ ଭଳି ଅନ୍ୟ ବିଭାଗକୁ ଚିଠି ଲେଖିଛି।ବିଭିନ୍ନ ବିଭାଗ ଅଧିନରେ ଥିବା ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ। ବିଶେଷ କରି ଶିଳ୍ପାଞ୍ଚଳ ଓ ବିଭିନ୍ନ ଘରୋଇ ସଂସ୍ଥାରେ କାର୍ଯ୍ୟରତ କର୍ମଜୀବୀ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଭଡ଼ାରେ ଘର ଦିଆଯିବ। ଏହା ଛଡ଼ା ଯେଉଁମାନେ ପାଠ ପଢିବାକୁ , ବ୍ୟବସାୟ କରିବାକୁ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଘର ଭଡ଼ାରେ ମିଳିବ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ୨.୦ ଅନୁଯାୟୀ ଭଡ଼ା ମିଳିବ।କେନ୍ଦ୍ର ଓ ରାଜ୍ୟ ସରକାର ଅଧିନରେ ଥିବା ଅବ୍ୟବହୃତ ଘରକୁ ରହିବା ଉପଯୋଗୀ କରାଯାଇ ଭଡ଼ା ଦିଆଯିବ। ଗାଇଡ୍ଲାଇନ ଅନୁଯାୟୀ ୨ଟି ମଡେଲରେ ସୁଲଭ ମୂଲ୍ୟରେ ଭଡ଼ା ଦିଆଯିବ। ପ୍ରଥମେ ସରକାରୀ ଘରକୁ ପବ୍ଲିକ ଏଜେନ୍ସି ମାଧ୍ୟମରେ ଭଡ଼ା ଦିଆଯିବ। ଦ୍ୱିତୀୟରେ ବେସରକାରୀ ସଂସ୍ଥା ଘର ତିଆରି କରି ଗରୀବଙ୍କୁ ଭଡ଼ା ଦେବେ ବୋଲି ସୂଚନା ମିଳିଛି। ଏହା ଦ୍ବାରା ସରକାର କିଛି ରାଜସ୍ବ ପାଇବା ସହ ସ୍ୱଳ୍ପ ଆୟକରିମନେ ସୁଲଭ ମୂଲ୍ୟରେ ଘର ଭଡ଼ାରେ ପାଇ ପାରିବେ।