– ଗତ କିଛି ମାସ ହେବ ରାଜ୍ୟରେ ଧାନ କିଣାକୁ ସମଗ୍ର ରାଜ୍ୟରେ ଚଷୀ ଅସନ୍ତୋଷ ଦେଖା ଦେଇଛି । ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଛି । ମିଲରମାନେ ଧାନ ଉଠାଇବାକୁ ରାଜି ହେଉ ନାହାନ୍ତି । ଧାନ ସଂଗ୍ରହ ବିଳମ୍ବ ପାଇଁ ରାଜ୍ୟ ସରକାରଙ୍କ ତଣ୍ଟିରେ ଭିଟାମିନ ଚାଉଳ କଣ୍ଟା ହୋଇ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ମିଲରମାନଙ୍କ ଖୋଲା ବଜାରରୁ ସିଧା ସଳଖ ଭିଟାମିନ ଚାଉଳ କିଣାକୁ ନେଇ ବିବାଦ ଦେଖା ଦେଇଛି । ରାଜ୍ୟ ସରକାର ମିଲରମାନଙ୍କୁ ଆଉ ପୂର୍ବଭଳି ଖୋଲା ବଜାରରୁ କିଣିବାକୁ ମନା କରି ଦେଇଛନ୍ତି । ଏହାକୁ ନେଇ ମିଲର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ହୋଇଛି । ଭିଟାମିନ ଚାଉଳ ମିଶି ନ ପାରିବାରୁ ମିଲରମାନେ ସଂଗୃହୀତ ଚାଉଳକୁ ମିଲ ବାହାରକୁ ପଠାଇ ପାରୁ ନାହାନ୍ତି । ଏଥିଯୋଗ ଧାନ ପେଷା ହୋଇ ପାରୁ ନାହିଁ କି ମିଲରମାନେ ଚାଷୀଙ୍କ ଠାରୁ ଧାନ ଉଠାଉ ନାହାନ୍ତି । ଫଳରେ ସମଗ୍ର ର ।ଜ୍ୟରେ ଧାନ କିଣାକୁ ନେଇ ଏକ ଅଚଳାବସ୍ଥା ଦେଖା ଦେଇଛି । ଏହି ଅଚଳାବସ୍ଥା ଦୂର କରିବାକୁ ରାଜ୍ୟ ସରକାର ଓ ମିଲରଙ୍କ ମଧ୍ୟରେ ବୁଝାମଣା ହୋଇ ପାରୁ ନାହିଁ ।
ଜଣେ ମିଲରଙ୍କ କହିବା କଥା ହେଲା ଯେ ବିଜେଡି ସରକାର ଅମଳରେ ମିଲରମାନେ ଧାନରୁ ଚାଉଳ ବାହାର କରିବା ସହ ସେଥିରେ ଭିଟାମିନ ଚାଉଳ ମିଶାଇ ବାହାରକୁ ଛାଡୁଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ନିୟମ ଅନୁଯାୟୀ ଅପପୁଷ୍ଟି ଦୂର କରିବା ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ)ରେ ଦିଆଯାଉଥିବା ଚାଉଳରେ ଭିଟାମିନ ଚାଉଳ ମିଶାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ସେହି ଆଧାରରେ ଗୋଟିଏ କୁଇଣ୍ଟାଲ ଚାଉଳରେ ୧ କିଲୋ ଭିଟାମିନ ଯୁକ୍ତ ଚାଉଳ ମିଶାଯାଉଛି । ଭିଟାମିନ ଚାଉଳକୁ ମିଲରମାନେ ଖୋଲା ବଜାରରୁ ଘରୋଇ କମ୍ପାନୀ ଠାର ୁ କିଣି ମିଶାଇଥାଆନ୍ତି । ଏବାବଦ ଅର୍ଥ ମିଲରମାନେ ରାଜ୍ୟ ଯୋଗାଣ ନିଗମରୁ ନେଇଥାଆନ୍ତି । ତେବେ ମିଲରମାନଙ୍କ ସିଧାସଳଖ ଭିଟାମିନ ଚାଉଳ କିଣା ଉପରେ ଏବେ ଅଘୋଷିତ କଟକଣା ଜାରି କରାଯାଇଛି । ଫଳରେ ସେମାନେ ଆଉ ଖୋଲାବଜାରରୁ ଭିଟାମିନ ଚାଉଳ କିଣି ପାରୁ ନାହାନ୍ତି କିମ୍ବା ସେମାନଙ୍କ ପାଖରେ ଗଛିତ ଚାଉଳ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)କୁ ଦେଇ ପାରୁ ନାହାନ୍ତି । ଗତ ରବି ଋତୁରେ ଆଦାୟ ହୋଇଥିବା ଚାଉଳକୁ ମିଲ ବାହାରକୁ ଛାଡି ପାରୁ ନାହାନ୍ତି । ମିଲରୁ ଚାଉଳ ଯାଉ ନ ଥିବାରୁ ଚଳିତ ଖରିଫରେ ଯେଉଁ ଧାନ ସଂଗ୍ରହ ହେଉଛି ତାକୁ ରଖବାକୁ ସ୍ଥାନର ଘୋର ଅଭାବ ଦେଖା ଦେଇଛି । ଫଳରେ ମିଲରମାନେ ଆଉ ଜିଲାଗୁଡିକରୁ ଧାନ ଉଠାଉ ନାହାନ୍ତି । ଅନ୍ୟ ପକ୍ଷରେ ବିଭିନ୍ନ ପ୍ରାଥମିକ ସମବାୟ ସମିତିରେ ଧାନ ଧରି ବସିଥିବା ଚାଷୀ ହାତାଶ ହେଲେଣି । ବହୁ ଚାଷୀଙ୍କର ଟୋକନ ଅବଧି ମଧ୍ୟ ଶେଷ ହେବାକୁ ବସିଲାଣି । ଧାର୍ଯ୍ୟ ସମୟରେ ଧାନ ବିକି ପାରିବେ କି ନାହିଁ ସେ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଲାଣି । କେବଳ ସେତିକି ନୁହେଁ, ଧାନର କଟନୀ ଛଟନୀ ଯୋଗୁ ମଧ୍ୟ ଚାଷୀ ହଇରାଣ ହେଉଛନ୍ତି । ଧାନ ବିକ୍ରିି ହେଉ ନ ଥିବାରୁ ଚାଷ ପାଇଁ ଧାର କରଜ କରିଥିବା ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । ଏପରିକି କେତେକ ଚାଷୀ ଅଭାବୀ ଧାନ ବିକ୍ରିିର ସମ୍ମୁଖୀନ ହେଉଛନ୍ତି । ଅଦରଦରରେ ଘରୋଇ ବ୍ୟବସାୟୀଙ୍କୁ ବିକବିବାକୁ ବାଧ୍ୟ ହେଉଛନ୍ତି ।
ଅନ୍ୟ ପକ୍ଷରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ ଧାନ କିଣା ଠିକ ଚାଲିଛି । ଭିଟାମିନ ଚାଉଳ କିଣିବା ପାଇଁ ସରକାର ଟେଣ୍ଡର ଡାକିଛନ୍ତି । ଖୁବଶୀଘ୍ର ଚାଉଳ ମିଲରମାନଙ୍କୁ ମିଳିବ । ଧାନ କିଣା ଠିକ ଚାଲିଥିବା ମନ୍ତ୍ରୀ କହୁଥିବା ବେଳେ ଦୀର୍ଘ ଦିନ ହେବ ଚାଷୀ ମଣ୍ଡିରେ ଧାନ ଧରି ବସି ରହିଛନ୍ତି । ଖରିଫ ଧାନ ସଂଗ୍ରହ ଗତ ନଭେମ୍ବର ମାସରୁ ଆରମ୍ଭ ହୋଇଥିଲେ ସୁଦ୍ଧା ୩ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଅଧାରୁ ଅଧିକ ମଣ୍ଡିରେ ପଡି ରହିଛି । ଭିଟାମିନ ଚାଉଳ ସମସ୍ୟା ତୁରନ୍ତ ସମାଧାନ ନ ହେଲେ ଚଳିତ ବର୍ଷ ଧାନ କିଣା ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ ନାହିଁ । ସରକାରଙ୍କୁ ବାରମ୍ବାର ଚାଷୀଙ୍କୁ ଟୋକନ ଦେବାକୁ ପଡିବ । ଏହି ପ୍ରସଙ୍ଗକୁ ନେଇ ବିରୋଧୀ ବିଧାନସଭାରେ ସରକାରଙ୍କୁ ହରଡଘଣାରେ ପକାଇବାକୁ ପୂରା ଯୋଜନା ପ୍ରସ୍ତୁତ କରି ସାରିଛନ୍ତି ।

paddy