ଭୁବନେଶ୍ୱର : ମାର୍ଚ୍ଚ ୧୬ ତାରିଖରେ ରାଜ୍ୟ ସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଭାରତର ନିର୍ବାଚନ କମିଶନ ଏ ନେଇ ଗତ ବୁଧବାର ତାରିଖ ଘୋଷଣା କରି ସାରିଛନ୍ତି । ଏବେ ରାଜ୍ୟର ୩ ପ୍ରମୁଖ ରାଜନୈତି ଦଳ ଭାଜପା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଚୟନ କରିବା ନେଇ କସରତ କରୁଛନ୍ତି । ଓଡିଶାର ୪ଟି ଆସନ ପାଇଁ ଭୋଟ ହେବ । ୨ଟି ଆସନ ଭାଜପା ଖାତାକୁ ଯିବା ବେଳେ ଗୋଟିଏ ଆସନ ବିଜେଡି ଅକ୍ତିଆର କରିବ । ତେବେ ୪ର୍ଥ ଆସନ ପାଇଁ ୩ ଦଳ ମଧ୍ୟରେ ସସପେନ୍ସ ଜାରି ରହିଛି । କଂଗ୍ରେସ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଥିବା ବେଳେ ବିଜେଡି ଏ ନେଇ ମୁହଁ ଖୋଲୁ ନାହିଁ । ଅନ୍ୟ ପଟେ ଭାଜପା ୩ଟି ଯାକ ଆସନ ନେବ ବୋଲି ଦମ୍ଭ ଦେଖାଉଛି । ଏଭଳି ସ୍ଥିତିରେ ଆସନ୍ତା ୭ ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମୀତ ଶାହାଙ୍କ ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।
ଅମିତ ଶାହା ସରକାରୀ କାର୍ଯ୍ୟକ୍ରମରେ ଓଡିଶା ଆସୁଛନ୍ତି । କଟକ ମୁଣ୍ଡଳୀସ୍ଥିତ ସିଆରପିଏଫ କ୍ୟାମ୍ପସ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେବେ । ଏହାଛଡା ମାଓମୁକ୍ତ ଓଡିଶା ପାଇଁ ସିଆରପିଏଫ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏହା ପରେ ଦଳୀୟ ନେତାମାନଙ୍କ ସହ ରାଜ୍ୟର ସାମ୍ପ୍ରତିକ ସ୍ଥିତି ନେଇ ଆଲୋଚନା କରିବେ ବୋଲି ଆଗୁଆ ସୂଚନା ଦିଆଯାଇଛି । ତେବେ ଶାହା ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ଗୋଟି ଚଳାଇବାକୁ ଆସୁଛନ୍ତି । ଶୁଣିବାକୁ ମିଳୁଛି ଯେ ଶାହାଙ୍କ ଗସ୍ତ ସମୟରେ ଚତୁର୍ଥ ଆସନ ପାଇଁ ବିଜେଡି ସହ ବୁଝାମଣା ହୋଇ ପାରେ । ଏ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ମାର୍ଚ୍ଚ ୯ ତାରିଖ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି । ଏହା ପୂର୍ବରୁ ଚତୁର୍ଥ ଆସନ ପାଇଁ ବିଜେଡି ସହ ଡିଲ କରିବେ ଶାହା । କୌଣସି ପରିସ୍ଥିତିରେ କଂଗ୍ରେସକୁ ବିଧାନସଭା ଆସନ ପାଇଁ ଗୋଟି ଚଳାଇବାକୁ ସୁଯୋଗ ନ ଦେବାକୁ ଶାହା ଯୋଜନା କରିଥିବା କୁହାଯାଉଛି । ଅନ୍ୟ ପକ୍ଷରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଯେପରି ଚାଲିଛି ନବୀନ ପଟ୍ଟନାୟକ ନିଜର ଦଳର ବିଧାୟକଙ୍କୁ ନିୟମନ୍ତ୍ରଣ କରିବା ସ୍ଥିତିରେ ନାହାନ୍ତି । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ବଜେଡିରୁ ନିଲମ୍ବିତ କରିବା ପରେ ବିଜେଡିରେ ସବୁକିଛି ଠିକ ଅଛି ବୋଲି କୁହା ନ ଯାଇ ପାରେ । ଏପରି ସ୍ଥଳେ ନବୀନ ମଧ୍ୟ ଚତୁର୍ଥ ଆସନ ପାଇଁ ଶାହାଙ୍କ ସହ ଡିଲ କରିବାକୁ ଆଗ୍ରହୀ ଥିବା କୁହାଯାଉଛି । ଡିଲ ହୋଇଗଲେ ବିଜେଡିର ଭୋଟ ବିଭାଜନ ଭଳି ଆଶଙ୍କାରୁ ନବୀନ ମୁକ୍ତି ପାଇଯିବେ । ଚତୁର୍ଥ ଆସନ ପାଇଁ କୌଣସି ପ୍ରାର୍ଥୀ ଦେବା ନେଇ ନବୀନଙ୍କ ପାଇଁ ଆଉ ସମସ୍ୟା ରହିବ ନାହିଁ ଏବଂ ଦଳ ଏକ ନିଶ୍ଚିତ ବିଭାଜନରୁ ରକ୍ଷା ପାଇ ଯିବ । ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ଯଦି ଭାଜପା ୩ଟି ଆସନ ପାଇଁ ପ୍ରାର୍ଥୀ ଦେବାକୁ ଘୋଷଣା କରେ ଏବଂ ନବୀନ ଚତୁର୍ଥ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ସହମତି ପ୍ରକାଶ କରିବେ ତେବେ କଂଗ୍ରେସ ପ୍ରାର୍ଥୀ ଦେଉ କି ନ ଦେଉ କିଛି ଫରକ ପଡିବ ନାହିଁ । ଯେଉଁ ବିଜେଡି ବିଧାୟକ ନିଜର ଭିତିରି ସମ୍ପର୍କ ରଖି ଭାଜପା କିମ୍ବା କଂଗ୍ରେସ ସପକ୍ଷରେ ଭୋଟ ଦେବାକୁ ଯୋଜନା କରିଥିବେ ତାହା ମଧ୍ୟ ଫସର ଫାଟିଯିବ । ଏଭଳି ଏକ ବଡ ଧମାକା କରିବାକୁ ନବୀନ ଚାହୁଁଛନ୍ତି । ନାମାଙ୍କନ ପତ୍ର ପ୍ରତ୍ୟାହାର ଦୁଇ ଦିନ ପୂର୍ବରୁ ଅମୀତ ଶାହାଙ୍କ ଓଡିଶା ଗସ୍ତ ବିଜେଡି ଓ ଭାଜପା ଶିବିରକୁ ଚଳ ଚଞ୍ଚଳ କରିଛି । ଏଠରେ ସୂଚନା ଦିଆଯାଇ ପାରେ ଯେ ସାଧାରଣ ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ଅର୍ଥାତ ୨୦୨୩ ଅଗଷ୍ଟ ୫ ତାରିଖରେ ଶାହା ଓଡିଶା ଗସ୍ତରେ ଆସିଥିଲେ । ସେତେବେଳେ ଓଡିଶାରେ କୌଣସି ଦଳୀୟ କାର୍ଯ୍ୟକ୍ରମ ନ ଥିଲା । ଜାତୀୟ ରାଜପଥ ସମ୍ପ୍ରସାରଣ ସମ୍ପର୍କୀତ ଏକ କାର୍ଯ୍ୟକ୍ରମରେ ଶାହା ଲୋକସେବା ଭବନରେ ଯୋଗ ଦେଇଥିଲେ । ଏହା ପରେ ସେ ସିଧା ଏକ ତାରକା ହେଟେଲକୁ ଯାଇ ଭି. କାର୍ତ୍ତୀକେୟନ ପାଣ୍ଡିଆନ ସହ ଚାପେ ଚର୍ଚ୍ଚା କରିଥିଲେ । ସେତେବେଳେ ଆଗୁଆ ବିଧାନସଭା ଭଙ୍ଗ କରିବାକୁ ନବୀନ ଯୋଜନା କରିଥିଲେ । ମାତ୍ର ଦେଶର ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଭାଜପା ପାଇଁ ଅନୁକୂଳ ନ ଥିବାରୁ ସେ ଯୋଜନାକୁ ଶାହା ପଣ୍ଡ କରି ଦେଇଥିଲେ । ବିଜେଡି ସହ ଭାଜପା ମେଣ୍ଟ କରି ୨୦୨୪ ସାଧାରଣ ନିର୍ବାଚନ ଲଢିବ ବୋଲି ଚର୍ଚ୍ଚା ଜୋର ଧରିଲା । ସେଥିପାଇଁ ପାଣ୍ଡିଆନ ମଧ୍ୟ ବାରମ୍ବାର ଦିଲ୍ଲୀ ଗସ୍ତ କଲେ । ଅମୀତ ଶାହାଙ୍କୁ ସାକ୍ଷାତ କଲେ । ରାଜ୍ୟ ଓ ଜାତୀୟ ଗଣମାଧ୍ୟମରେ ମଧ୍ୟ ବିଜେଡି- ଭାଜପା ମେଣ୍ଟାକୁ ନେଇ ଚର୍ଚ୍ଚା ଜୋର ଧରିଲା । ବିଜେଡିକୁ ଶାହା ଏମତି ଝୁଲାଇ ରଖିଲେ ନବୀନ କିମ୍ବା ପାଣ୍ଡିଆନ ଏହାର କୌଣସି ଟେର ପାଇ ନ ଥିଲେ । ଶେଷରେ ଭାଜପା ଓଡିଶାରେ ଏକାକୀ ଲଢି ବିଜେଡିକୁ ହଟାଇବାରେ ସଫଳ ହେଲା । ଅମିତ ଶାହାଙ୍କ ଆସନ୍ତା ଗସ୍ତ ଯେ ବିଧାନସଭା ଆସନ ବୁଝାମଣା ନେଇ ତାହା ପୂର୍ବରୁ ଓଡିଶା ପ୍ରଭାରୀ ବିଜୟ ସିଂପାଲ ତୋମାର ପରୋକ୍ଷ ସୂଚନା ଦେଇ ସାରିଛନ୍ତି ଏବଂ ୩ଟି ଆସନ ଭାଜପା ନେବ ବୋଲି ଦମ୍ଭର ସହ କହିଛନ୍ତି । ଏବେ ଶାହାଙ୍କ ଗସ୍ତ ଉପରେ ସଭିଙ୍କ ନଜର ।