ଭୁବନେଶ୍ୱର(ବ୍ୟୁରୋ)- ରାଜ୍ୟ ସଭା ନିର୍ବାଚନକୁ ଆଉ ମାତ୍ର ୩ ଦିନ ଥିବା ବେଳେ କଂଗ୍ରେସ ଓ ବିଜେଡିକୁ କ୍ରସ ଭୋଟିଂର ଭୟ ପ୍ରବଳ ମାତ୍ରାରେ ଘାରିଛି । କେଉଁ ବିଧାୟକଙ୍କ ମତି ଗତି କଣ ଦଳର ମୁଖିଆ ବି ଠଉରେଇ ପାରୁ ନାହାନ୍ତି । ଦଳୀୟ ହୁଇପ ଜାରି ହେବା ପରେ ମଧ୍ୟ ବିଧାୟକମାନେ ବୋଲ ମାନୁ ନାହାନ୍ତି । କଂଗ୍ରେସକୁ ଘୋଡା ବେପାର ଭୟ ଏତେ ଘାରିଛି ଯେ ବିଧାନସଭା ଚାଲିଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ଦଳର ମୋଟ ୧୪ ଜଣ ବିଧାୟକଙ୍କ ମଧ୍ୟରୁ ୯ ଜଣଙ୍କୁ ସାଙ୍ଗରେ ଧରି କଂଗ୍ରେସ ଶାସିତ ରାଜ୍ୟ ବାଙ୍ଗାଲୋର ଚାଲି ଯାଇଛନ୍ତି । ବିଧାୟକ ଅଶୋକ ଦାସ, ସି.ଏସ. ରାଜନ ଏକ୍କା, ମଙ୍ଗୁ ଖିଲ, ପ୍ରଫୁଲ୍ଲ ପ୍ରଧାନ, ଆପୋଲୋ ସ୍ୱାମି, ପବିତ୍ର ସାଉଁଟା, ସତ୍ୟଜିତ ଗମାଙ୍ଗ ପ୍ରମୁଖ ଭକ୍ତଙ୍କ ସାଙ୍ଗରେ ଯାଇଛନ୍ତି । ଏହା ବାଦ ଆଉ ୫ ଜଣ ବିଧାୟକ ତାରା ପ୍ରସାଦ ବାହିନୀପତି, ସୋଫିଆ ଫିର୍ଦ୍ଦୋସ, ଦାଶରଥି ଗମାଙ୍ଗ, ରମେଶ ଜେନା ଓ ରାମଚନ୍ଦ୍ର କାଡାମ ଓଡିଶାରେ ଅଛନ୍ତି । ତେବେ ଶୁକ୍ରବାର ବିଧାନସଭାରେ କେବଳ ତାରା, ସୋଫିଆ ଓ କାଡାମଙ୍କୁ ଦେଖିବାକୁ ମିଳିଥିବା ବେଳେ ରମେଶ ଜେନା ଓ ଦାଶରଥି ଗମାଙ୍ଗଙ୍କର ଦେଖା ନାହିଁ । କଂଗ୍ରେସ ବିଧାୟକମାନେ କାଳେ ୟାଡେ ସିଆଡେ ହେବେ ଭକ୍ତ ସମସ୍ତ ବିଧାୟକଙ୍କୁ ଭୁବନେଶ୍ୱର ନ ଛାଡିବାକୁ ହୁଇପ ଜାରି କରିଥିଲେ । ଯେଉଁ ବିଧାୟକ ହୁଇପ ଅବମାନନା କରିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବାନୀ ଦିଆଯାଇଥିଲା । ତେବେ ପରିସ୍ଥିତି କଣ ଏମିତି ହେଲା ଯେ ଭକ୍ତ ନିଜ ହୁଇପକୁ ଭାଙ୍ଗି ବିଧାୟକମାନଙ୍କୁ ଧରି ବାଙ୍ଗାଲୋର ଛୁ ମାରିଲେ । ସେହି ବିଧାୟକମାନଙ୍କ ରହିବା ଖାଇବା, ବୁଲିବା ସମସ୍ତ ଖର୍ଚ୍ଚ ଭକ୍ତ ବହନ କରିବେ । ବାଙ୍ଗାଲୋରର ରାମନଗର ରିସର୍ଟରେ କଂଗ୍ରେସ ବିଧାୟକମାନେ ରହିଥିବା ସୂଚନା ମିଳିଛି । ଆସନ୍ତା ୧୫ ତାରିଖରେ ବିଧାୟକମାନେ ଓଡିଶା ଫେରିବେ ଏବଂ ୧୬ ତାରିଖ ଦିନ ରାଜ୍ୟ ସଭା ପାଇଁ ଭୋଟ ଦେବେ ।
କଂଗ୍ରେସ ବିଧାୟକଙ୍କ ବାଙ୍ଗାଲୋର ଗସ୍ତକୁ ନେଇ କଟକ-ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦେର୍ାସ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି ଯେ ବିଧାୟକମାନେ ବାଙ୍ଗାଲୋର ଯିବା କଥା ସେ ଜାଣି ନାହାନ୍ତି । କଣ ପାଇଁ ଯାଇଛନ୍ତି ଜଣାନାହିଁ । କଟକ ଏକ ବୁଦ୍ଧିଜୀବୀ ସହର । ଏଠାରେ ହାଇକୋର୍ଟ ଜଜ, ଆଡଭୋକେଟ , ଡାକ୍ତରଙ୍କ ଭଳି ଶିକ୍ଷିତ ଲୋକ ଅଛନ୍ତି । ଆମକୁ ଭୋଟ ଦେଇଛନ୍ତି । ଆମେ ନିଜେ ଚିନ୍ତାକରି ଭୋଟ ଦେବୁ । ବାଙ୍ଗାଲୋର କାହିଁକି ଯିବୁ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ଭାଜପା ଘୋଡା ବେପାର କରିବାକୁ ଚାହୁଁଛି । ମାର୍କେଟରେ ମଧ୍ୟ ଏ ନେଇ ଆଲୋଚନା ଜୋର ହେଉଛି । ସେମାନେ କେମିତି ଘୋଡା ବେପାରରେ ମାତିଛନ୍ତି ସେ କଥା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆମ ବିଧାୟକମାନେ କିପରି ପ୍ରଲୋଭିତ ହେବେ ନାହିଁ, କିପରି ଏକ ହୋଇ ରହିବେ ସେ ନେଇ ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ଯାଇଛନ୍ତି ।
ତେବେ ଯେଉଁ ୯ ଜଣଙ୍କୁ ନେଇଛନ୍ତି ସେମାନଙ୍କ ଉପରେ ଭକ୍ତଙ୍କର କଣ ଭରସା ପାଇଲା ନାହିଁ କି ବୋଲି ଚର୍ଚ୍ଚା ଜୋର ଧରିଛି । ଅନ୍ୟ ୫ଜଣଙ୍କୁ ଭକ୍ତ ସାଙ୍ଗରେ କାହିଁକି ନେଲେନି ସେ ନେଇ କଂଗ୍ରେସ ରାଜନୀତି ସରଗରମ ହୋଇଛି । ବିଧାନସଭା ଚାଲୁଥିବାରୁ ବିଧାୟକ ଦଳ ନେତା ନ ଯିବାରେ କୌଣସି ସମସ୍ୟା ନାହିଁ । ମାତ୍ର ଅନ୍ୟ ୪ ଜଣ ଭକ୍ତଙ୍କ ବୋଲ ମାନୁ ନ ଥିବା ନେଇ ଦଳୀୟ କର୍ମିଙ୍କ ମହଲରେ ଆଲୋଚନା ଜୋର ଧରିଛି । ତାରା ବାହିନିପତି କହିଛନ୍ତିଯେ ବିଧାୟକମାନେ ବହୁତ ଦିନ ହେବ ବାହାରକୁ ଯାଇ ନ ଥିଲେ । ବୁଲିବାକୁ ଯାଇଛନ୍ତି । ବୁଲି ବାଲି ଭୋଟ ପୂର୍ବରୁ ପଳାଇ ଆସିବେ । ମୋର ଯିବାକୁ ଇଛା ହେଲାନି , ମୁଁ ଗଲିନି ଏଥିରେ ଅସୁବିଧା କିଛି ନାହିଁ ।
ରାଜ୍ୟ ସଭା ନିର୍ବାଚନରେ ଚତୁର୍ଥ ଆସନକୁ ନେଇ ସବୁଠୁ ରୋଜକ ଲଢେଇ ଆରମ୍ଭ ହୋଇଛି । ବିଜେଡି, କଂଗ୍ରେସ ଓ ସିପିଆଇ(ଏମ) ସମର୍ଥୀତ କମନକ୍ୟାଣ୍ଡି ଡେଟ ଦତ୍ତେଶ୍ୱର ହୋତା ଏବଂ ସ୍ୱାଧୀନ ପ୍ରାର୍ଥୀ ତଥା ଶିଳ୍ପପତି ଦିଲ୍ଲୀପ ରାୟଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି । କଂଗ୍ରେସ ୧୪ , ବିଜେଡି ୧୯ ଏବଂ ଜଣେ ସିପିଆଇଏମ ବିଧାୟକ ଯଦି ଭୋଟ ଦିଅନ୍ତି ତେବେ ଦତ୍ତେଶ୍ୱର ଆରାମରେ ବିଜୟୀ ହୋଇ ଯିବେ । ଅନ୍ୟ ପଟେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପଙ୍କୁ ଭାଜପାର ୨୨ ଟି ଭୋଟ ମିଳିଲେ ମଧ୍ୟ ବିଜୟ ପାଇଁ ଆଉ ୮ ଖଣ୍ଡ ଭୋଟର ଆବଶ୍ୟକତା ପଡିବ । ସେହି ଆଠଟି ଭୋଟ ଆଣିବାକୁ ଦିଲ୍ଲୀପଙ୍କ ସମର୍ଥକମାନେ ଦିନ ରାତି ଯୋଗାଡରେ ଲାଗି ପଡିଛନ୍ତି । କଂଗ୍ରେସରୁ ୩ଟି ଓ ବିଜେଡିରୁ ୫ଟି ଭୋଟ ନେବା ପାଇଁ ଦିଲ୍ଲୀପ ସମସ୍ତ କଳ ବଳ ଓ କୌଶଳ ଅବଲମ୍ବନ କରିଛନ୍ତି । ଦିଲ୍ଲୀପ ଯଦି ୮ଟି ଭୋଟ ଯୋଗାଡ କରିବାରେ ସମର୍ଥ ହେବେ ନାହିଁ ତେବେ ଦତ୍ତେଶ୍ୱରଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ହେବ । ୪ର୍ଥ ଆସନ ଭାଜପା, କଂଗ୍ରେସ ଓ ବିଜେଡି ପାଇଁ ସମ୍ମାନର ବିଷୟ ହୋଇଛି । କେଉଁ ଦଳର ରଣନୀତି କେତେ ସଫଳ ହେବ ତାହା ଆସନ୍ତା ୧୬ ତାରିଖ ନିର୍ବାଚନ ପରେ ହିଁ ଜଣାପଡିଯିବ ।