
ଭୁବନେଶ୍ୱର: ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ଚିହ୍ନଟ କରି ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଉପ-ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଏଥିସହିତ, ଏକ ସ୍ୱତନ୍ତ୍ର ଷ୍ଟେଟ୍ ଆକ୍ସନ ପ୍ଲାନ ମଧ୍ୟ ପ୍ରସ୍ତୁତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝି ଶ୍ରମିକ ଦିବସ ଅବସରରେ କହିଛନ୍ତି । ଗୁରୁବାର ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ରାଜ୍ୟରେ ଥିବା ବିଭିନ୍ନ ସଂଗଠିତ ତଥା ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନଙ୍କ ଆଇନଗତ ଅଧିକାର ଓ ସାମାଜିକ ସୁରକ୍ଷା ଦିଗରେ ସର୍ବଦା କାର୍ଯ୍ୟ କରି ଆସୁଛନ୍ତି । ଶ୍ରମିକମାନଙ୍କୁ ମୃତୁ୍ୟକାଳିନ ସହାୟତା ରାଶି ୨ ଲକ୍ଷରୁ ୩ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣା ଜନିତ ମୃତୁ୍ୟ କ୍ଷେତ୍ରରେ ଏହି ରାଶି ୪ ଲକ୍ଷରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ରାଜ୍ୟର ପ୍ରାୟ ୪୭ ଲକ୍ଷ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ସେମାନଙ୍କୁ ବିଭିନ୍ନ ସହାୟତା ବାବଦରେ ୩,୯୫୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି, ଯାହାକି ସେମାନଙ୍କ ପରିବାରର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ କ୍ଷେତ୍ରରେ ସହାୟକ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ପ୍ରାୟ ୩ ହଜାର ନିର୍ମାଣ ଶ୍ରମିକଙ୍କୁ ନୂତନ ଭାବରେ ପରିଚୟପତ୍ର ପ୍ରଦାନ କରାଯାଇଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ବାବଦରେ ୪୦ କୋଟି ଊଦ୍ଧ୍ୱର୍ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ “ଓଡ଼ିଶା ଶ୍ରମିକ ସାଥୀ ମୋବାଇଲ ଆପ୍”ର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ଶ୍ରମିକମାନେ ଅନଲାଇନ ପଞ୍ଜିକରଣ, ନବୀକରଣ ତଥା ସହାୟତା ନିମନ୍ତେ ଆବେଦନ କରିପାରିବେ । ସେହିପରି ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧୀନରେ ୬୦ଟି ବର୍ଗର ଅଣସଂଗଠିତ ଶ୍ରମିକମାନଙ୍କୁ ପଞ୍ଜିକୃତ କରାଯାଇ ସେମାନଙ୍କୁ ବିଭିନ୍ନ କଲ୍ୟାଣମୂଳକ ସହାୟତା ପ୍ରଦାନ କରାଯାଉଛି । ୪ ଲକ୍ଷରୁ ଊଦ୍ଧ୍ୱର୍ ପଞ୍ଜିକୃତ ଶ୍ରମିକଙ୍କୁ ୨୩ କୋଟି ଟଙ୍କାରୁ ଅଧିକ ସହାୟତା ରାଶି ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।