
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗତ ୩ ମାସ ମଧ୍ୟରେ ୧ ହଜାରରୁ ଊଦ୍ଧ୍ୱର୍ ଅଧିକ ଦୁଗ୍ଧ-ଉତ୍ପାଦନକ୍ଷମ ଗାଈ ସାମିଲ ହୋଇଛନ୍ତି । ରାଜ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତାମିଲନାଡୁ ଆଦି ରାଜ୍ୟରୁ ଏହି ଗାଈ ଅଣାଯାଇଛି । ଫଳରେ ଦୁଗ୍ଧ-ଚାଷୀଙ୍କ ଜୀବନ ଜୀବିକାକୁ ଗୋପାଳନ ଯୋଜନା ଅଧିକ ସୁରକ୍ଷିତ ଓ ସଶକ୍ତ କରିଛି । ଆମ ରାଜ୍ୟରେ ଉନ୍ନତ ପ୍ରଜାତିର ଗୋପାଳନ ପାଇଁ ମଧ୍ୟ ଏହା ସହାୟକ ହେବ ଓ ଅନ୍ୟମାନଙ୍କୁ ପ୍ରେରିତ କରିବ ।
ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫ ଆୟୋଜନ ଅବସରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଚାଷୀମାନଙ୍କୁ ଗୋ-ଆହେଡ ଲେଟର ବା କାର୍ଯ୍ୟାଦେଶ ପ୍ରତ୍ର ପ୍ରଦାନ କରିଥିଲେ । ସରକାରୀ ସହାୟତା ପାଇ ଚାଷୀମାନେ ବାହାର ରାଜ୍ୟରୁ ଦୁଧିଆଳି ଗାଈ କ୍ରୟ କରିଛନ୍ତି । ଏବେ ଏହି ଉକ୍ରୃଷ୍ଟମାନର ଦୁଧିଆଳି ଗାଈ ରାଜ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଗେମ୍ ଚେଞ୍ଜର ଭାବେ ଉଭା ହୋଇଛି ।
ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ଏହି ଗୋପାଳନ ଯୋଜନାରେ ପ୍ରଥମ କରି ତିନୋଟି ୟୁନିଟ୍ ପ୍ରତିଷ୍ଠା ହୋଇଛି । ସମସ୍ତ ତିନି ଦୁଗ୍ଧଚାଷୀ ହେଉଛନ୍ତି ମହିଳା । ଏହି ସଫଳତା ମହିଳା ସଶକ୍ତୀକରଣକୁ ପ୍ରତିଫଳିତ କରୁଛି । ଗୋପାଳକଙ୍କ ଜୀବିକାକୁ ଅଧିକ ସଶକ୍ତ ଓ ସୁରକ୍ଷିତ କରିବା ନିମନ୍ତେ ରାଜ୍ୟ ସରକାର ଗୋ-ପାଳନ ଯୋଜନା ଆରମ୍ଭ କରିଛନ୍ତି । ଦୈନିକ ଅତିକମରେ ୧୦ ଲିଟରରୁ ଅଧିକ ଦୁଗ୍ଧ ଦେଉଥିବା ଗାଈ କ୍ରୟ କରିବା ନିମନ୍ତେ ରାଜ୍ୟ ସରକାର ୭୦ ପ୍ରତିଶତ ସବସିଡ୍ ପ୍ରଦାନ କରୁଛନ୍ତି । ଅଧିକରୁ ଅଧିକ ଲୋକ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ ଯୋଜନାରେ ସାମିଲ ହେବାକୁ ମନ୍ତ୍ରୀ କହିଛନ୍ତି ।